କାଶୀପୁର କାହାଣୀ -୧୩
ଶେଷ କାହାଳୀର ସ୍ୱର
## ପ୍ରଥମ ଅଧ୍ୟାୟ: କାଶୀପୁରର ସେହି ପୁରୁଣା ସଞ୍ଜ
କାଶୀପୁର ଗାଁର ଜଗନ୍ନାଥ ମନ୍ଦିର ବେଢ଼ାରେ ଯେତେବେଳେ ସଞ୍ଜ ନଇଁଆସେ, ସେତେବେଳେ ଆକାଶର ରଙ୍ଗ ସହ ମିଶିଯାଏ ଏକ ଅପୂର୍ବ ଆଧ୍ୟାତ୍ମିକ ସ୍ୱର। ସେ ସ୍ୱର କୌଣସି ସାଧାରଣ ବାଦ୍ୟର ନୁହେଁ, ସେଇଟି ଥିଲା ଶିବ ଦାଦାଙ୍କ ହାତର ସେହି ପୁରୁଣା 'ତୂରୀ' ବା କାହାଳୀର ସ୍ୱର। ଶିବ କାହାଲିଆ—ଗାଁ ଲୋକେ ତାଙ୍କୁ ଏଇ ନାଁରେ ହିଁ ଜାଣନ୍ତି।
କୋଉ ଅନାଦି କାଳରୁ, ଯେତେବେଳେ ଏ ଗାଁର ଇତିହାସ ଲେଖା ହେଇନଥିଲା, ସେବେଠୁ ସେଇ କାହାଳୀ ଏ ମାଟିରେ ଗୁଞ୍ଜରିତ ହେଉଛି। କିଏ ଏହାକୁ ଆରମ୍ଭ କରିଥିଲା, ସେ କଥା ଆଜି କାହାକୁ ଜଣା ନାହିଁ। କିନ୍ତୁ କାଶୀପୁରର ଶିବ ଦାଦା ସେହି ଅଦୃଶ୍ୟ ଅତୀତର ସୂତାକୁ ଆଜି ବି ନିଜ ଶ୍ୱାସରେ ବାନ୍ଧି ରଖିଥିଲେ।
ମନ୍ଦିରର ସାନ୍ଧ୍ୟ ଆଳତି ସମୟରେ ଯେତେବେଳେ ଶିବ ଦାଦା ନିଜର ସବୁଯାକ ଶକ୍ତି ଦେଇ ତୂରୀଟିକୁ ଫୁଙ୍କନ୍ତି, ମନେହୁଏ ସତେ ଯେମିତି ସେହି ସ୍ୱର ବୈକୁଣ୍ଠ ପର୍ଯ୍ୟନ୍ତ ଶୁଭୁଛି। ଅନ୍ୟପଟେ, ତାଙ୍କ ଖୁଡି ମଧ୍ୟ ନିଷ୍ଠାର ସହ ଠାକୁରଙ୍କ ବାସନକୁସନ ମାଜି ସଫା କରନ୍ତି। ମନ୍ଦିର ତରଫରୁ ଯେଉଁ ସାମାନ୍ୟ ଅନ୍ନପ୍ରସାଦ ବା ଭୋଗ ମିଳେ, ସେତିକିରେ ହିଁ ସେ ଦୁହିଁଙ୍କ ସଂସାର ହସିଉଠେ। ଏହା କେବଳ ଏକ ସେବା ନଥିଲା, ଏହା ଥିଲା ସେମାନଙ୍କ ଜୀବନ।
## ଦ୍ଵିତୀୟ ଅଧ୍ୟାୟ: ଅଭାବର ଅତୀତ ଓ ଜେଜେବାପାଙ୍କ ନିଷ୍ଠା
ଏ କଥା ଆଜିର ନୁହେଁ, ବହୁତ ପୁରୁଣା ଦିନର କଥା। ଯେତେବେଳେ ମୋର ଜନ୍ମ ବି ହୋଇନଥିଲା। ମୋ ଜେଜେବାପା ସେତେବେଳେ ସେହି ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଥିଲେ। ପରେ ମୁଁ ଶିବ ଦାଦାଙ୍କ ମୁହଁରୁ ଶୁଣିଛି ସେହି ପୁରୁଣା ଦିନର ସଂଘର୍ଷ କାହାଣୀ।
"ରେ ବାବୁ! ସେତେବେଳେ ଆଜି ଭଳିଆ ମନ୍ଦିରରେ ଏତେ ଚାକଚକ୍ୟ ନଥିଲା କି ପଇସାପତ୍ର ନଥିଲା," ଶିବ ଦାଦା ଆଖିରୁ ଲୁହ ପୋଛି ଦିନେ କହିଥିଲେ। ସେତେବେଳେ ଭୋଗ ଲଗାଇବା ପାଇଁ ବିଶେଷ କିଛି ମିଳୁନଥିଲା। ଲୋକେ ପିଜୁଳି କାଟି ଆଣି ଠାକୁରଙ୍କ ପାଖରେ ସମର୍ପଣ କରୁଥିଲେ। ଭୋଗ କହିଲେ ସେହି ସାଧାରଣ ରଙ୍ଗ ଧାନ ଚାଉଳର ସାନ୍ନ। କିନ୍ତୁ ଅଭାବ ସତ୍ତ୍ୱେ ଜେଜେବାପାଙ୍କ ଭକ୍ତିରେ କୌଣସି ଅଭାବ ନଥିଲା। ସେହି ରଙ୍ଗ ଚାଉଳକୁ ହିଁ ଅତି ଶ୍ରଦ୍ଧାରେ ସେ ମହାପ୍ରଭୁଙ୍କୁ ଅର୍ପଣ କରୁଥିଲେ। ସେତେବେଳେ ଶିବ ଦାଦା ଏକଦମ୍ ଛୋଟ ପିଲାଟିଏ ହୋଇଥିଲେ। ହାତରେ ଜୋର୍ ନଥିଲା, କିନ୍ତୁ ମନରେ ଥିଲା ଅପୂର୍ବ ଜିଦ୍। ସେହି ପିଲାଦିନରୁ ହିଁ ସେ ନିଜ ଓଠରେ ତୂରୀ ଛୁଆଇଁବା ଶିଖିଥିଲେ।
## ତୃତୀୟ ଅଧ୍ୟାୟ: ବଢେଇ ଶାଳର ହାତୁଡ଼ି ସ୍ୱର ଓ ଗହ୍ମା ପୂର୍ଣ୍ଣିମାର ସେହି ବର୍ଷା
ଶିବ ଦାଦା କେବଳ ତୂରୀ ଫୁଙ୍କୁ ନଥିଲେ, ଜୀବିକା ପାଇଁ ସେ କାଠର ଅତି ସୁନ୍ଦର କାମ ମଧ୍ୟ ଜାଣିଥିଲେ। ସେ ଥିଲେ ଜଣେ ପୋଖତ ବଢେଇ। ତାଙ୍କ ବଢେଇ ଶାଳରୁ ନିହାଣ ଓ ହାତୁଡ଼ିର ଠକ୍ ଠକ୍ ଶବ୍ଦ ଗାଁର ଅନ୍ୟତମ ପରିଚୟ ଥିଲା। ସେହି ହାତରେ ସେ ଯେମିତି କାଠକୁ ଜୀବନ ଦେଇଦେଉଥିଲେ।
ଆମ ଘରେ ପ୍ରତିବର୍ଷ ଗହ୍ମା ପୂର୍ଣ୍ଣିମା (ରକ୍ଷାବନ୍ଧନ/ବଳଭଦ୍ର ଜନ୍ମ) ଦିନ କୃଷି ଭିତ୍ତିକ ପରମ୍ପରା ଅନୁଯାୟୀ 'ହଲ ଲଙ୍ଗଳ' ପୂଜା ହୁଏ। ନିୟମ ଥାଏ, ଆମ ଘରର ହଳିଆ ସେଦିନ ବିଲରୁ ବଡ଼ ହଲ ଲଙ୍ଗଳ ବୋହି ଆଣନ୍ତି, ତାକୁ ଭଲଭାବେ ଧୁଆଧୋଇ କରି ଅଗଣାରେ ରଖାଯାଏ ଏବଂ ମୋ ଜେଜେମାଆ ତାକୁ ଚନ୍ଦନ, ସିନ୍ଦୂର ଓ ଫୁଲ ଦେଇ ପୂଜା କରନ୍ତି।
କିନ୍ତୁ ସେହି ବର୍ଷ କାଶୀପୁରରେ ପ୍ରଳୟଙ୍କରୀ ବର୍ଷା ହେଲା। ଶ୍ରାବଣର ସେହି କଳାହାଣ୍ଡିଆ ମେଘ ସତେ ଯେମିତି ଗାଁ ଉପରେ ଅଜାଡ଼ି ହୋଇପଡ଼ିଲା। ଚାରିଆଡ଼େ ପାଣି ଜମିଗଲା। ପ୍ରବଳ ବର୍ଷା ଓ କାଦୁଅ ଯୋଗୁଁ ହଳିଆ ସେଦିନ ବିଲରୁ ବଡ଼ ଲଙ୍ଗଳ ଆଣିପାରିଲେ ନାହିଁ। ପୂଜା ସମୟ ଗଡ଼ି ଯାଉଥିଲା, ଜେଜେ ମାଆ ବଡ଼ ବ୍ୟାକୁଳ ହୋଇପଡ଼ିଲେ। ଘରର ପରମ୍ପରା କାଳେ ବୁଡ଼ିଯିବ, ସେହି ଭୟରେ ମାଆ ବୁଦ୍ଧି ପ୍ରୟୋଗ କରି ଘରେ ଥିବା କୁରାଡି ସବୁକୁ ଏକାଠି କରି ସଫା କରି ରଖିଲେ ଏବଂ ସେଗୁଡ଼ିକୁ ହିଁ ଆୟୁଧ ଭାବେ ପୂଜା କଲେ।
ପୂଜା ସରିବା ପରେ ଜେଜେ ମାଆ ଶିବ ଦାଦାଙ୍କୁ ଡାକି କହିଲେ, "ଶିବ! ତୁ ତ ଏଡ଼େ ସୁନ୍ଦର ବଢେଇ କାମ କରୁଛୁ, ମୋ ପାଇଁ କାଠର ଗୋଟେ ଛୋଟ 'ସାନ ହଲ ଲଙ୍ଗଳ' ବନେଇ ଦେ' ତ। ବର୍ଷା ହେଉ କି ବାତ୍ୟା, ଆମେ ସେହି ସାନ ଲଙ୍ଗଳକୁ ସବୁବେଳେ ଘରେ ରଖି ପୂଜା କରିପାରିବା।"
ଜେଜେ ମାଆଙ୍କ କଥାକୁ ଶିବ ଦାଦା ଭଗବାନଙ୍କ ଆଜ୍ଞା ଭଳି ମାନିନେଲେ। ନିଜ ବଢେଇ ଶାଳରେ ବସି ଅତି ନିଖୁଣ ଭାବରେ କାଠର ଏକ ସୁନ୍ଦର ଛୋଟ ହଲ ଲଙ୍ଗଳ ତିଆରି କରି ଆମକୁ ଆଣି ଦେଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ, ଯେତେବେଳେ ବି ଗହ୍ମା ପୁନେଇ ଆସେ, ଆମେ ଶିବ ଦାଦାଙ୍କ ହାତର ସେହି ସ୍ମୃତିର ସାନ ଲଙ୍ଗଳକୁ ଅତି ଶ୍ରଦ୍ଧାରେ ପୂଜା କରିଆସୁଛୁ।
## ଚତୁର୍ଥ ଅଧ୍ୟାୟ: ରଥଯାତ୍ରାର ସେହି ଅପୂର୍ବ ଦୃଶ୍ୟ
ବର୍ଷକ ସାରା ସେବା ଗୋଟିଏ ପଟେ, ଆଉ ଆଷାଢ଼ ମାସର ରଥଯାତ୍ରା ଅନ୍ୟପଟେ। ରଥଯାତ୍ରା ଆସିଲେ ଶିବ ଦାଦାଙ୍କ ଭିତରେ ଏକ ନୂଆ ଶକ୍ତି ଜାଗ୍ରତ ହୋଇଉଠେ। ଯେତେବେଳେ ମହାପ୍ରଭୁଙ୍କ ଧାଡି ପହଣ୍ଡି ଆରମ୍ଭ ହୁଏ, ସେତେବେଳେ ଭକ୍ତଙ୍କ ଗହଳି ଭିତରେ ସବା ଆଗରେ ଚାଲନ୍ତି ଶିବ ଦାଦା। ତାଙ୍କ କାହାଳୀରୁ ବାହାରୁଥିବା ଗମ୍ଭୀର ସ୍ୱର ସାରା ବାତାବରଣକୁ ଆନ୍ଦୋଳିତ କରିଦିଏ। ସେହି ସ୍ୱର ଶୁଣି ହିଁ ସତେ ଯେମିତି କାଳିଆ ସାଆନ୍ତ ପାଦ ବଢ଼ାନ୍ତି।
କେବଳ ସେତିକି ନୁହେଁ, ରଥଯାତ୍ରା ପୂର୍ବରୁ ଯେତେବେଳେ ଗାଁର ଚିତ୍ରକରମାନେ ମୂର୍ତ୍ତିଗୁଡ଼ିକୁ ନୂଆ ରଙ୍ଗ ଦିଅନ୍ତି, ସେତେବେଳେ ନିଜର ବଢେଇ କଳା ଓ ଭକ୍ତିର ଅପୂର୍ବ ମିଶ୍ରଣରେ ଶିବ ଦାଦା ରଥର 'ସାରଥୀ'ଙ୍କୁ ସଜାଇବା ଦାୟିତ୍ୱ ନିଅନ୍ତି। ସେ ନିଜ ହାତରେ ସାରଥୀଙ୍କୁ ଅତି ସୁନ୍ଦର ଭାବେ ସଜାନ୍ତି, ପୋଷାକ ପିନ୍ଧାନ୍ତି ଏବଂ ନିଜ କାନ୍ଧରେ ବୋହି ନେଇ ରଥ ଉପରେ ବସାନ୍ତି। ଏହା କେବଳ ଏକ ନିୟମ ନଥିଲା, ଏହା ଥିଲା ଶିବ ଦାଦାଙ୍କର ଭଗବାନଙ୍କ ପ୍ରତି ଥିବା ଗଭୀର ଭଲପାଇବା।
## ପଞ୍ଚମ ଅଧ୍ୟାୟ: ଶୂନ୍ୟତା ଏବଂ ନୀରବ କାହାଳୀ
ସମୟ ବଦଳିଗଲା, ହେଲେ ଶିବ ଦାଦା ବଦଳି ନଥିଲେ। ବୟସର ଭାରରେ ଶରୀର ନଇଁ ପଡ଼ିଥିଲେ ବି ତୂରୀ ଫୁଙ୍କିଲା ବେଳେ ତାଙ୍କ ଛାତି ଫୁଲି ଉଠୁଥିଲା। କିନ୍ତୁ ବିଧିର ବିଧାନ ଥିଲା ଅଲଗା। କିଛି ଦିନ ତଳେ ସେହି ଚିରସବୁଜ, ବହୁମୁଖୀ ପ୍ରତିଭାସମ୍ପନ୍ନ ନିଷ୍ଠାପର ମଣିଷଟି ସମସ୍ତଙ୍କୁ ଆଖିରୁ ଲୁହ ଦେଇ ଏ ଦୁନିଆରୁ ଚାଲିଗଲେ।
ଆଜି କାଶୀପୁର ଗାଁରେ ଜଗନ୍ନାଥ ମନ୍ଦିର ଅଛି, ଆଳତି ବି ହେଉଛି। ହେଲେ ସେହି ସୁୁଉଚ୍ଚ ତୂରୀର ସ୍ୱର ଆଉ ଶୁଣାଯାଉ ନାହିଁ। ଶିବ ଦାଦାଙ୍କ ସହ ସେହି କୋଉ କାଳର ପରମ୍ପରା ବି ଯେମିତି ସବୁଦିନ ପାଇଁ ଶୋଇପଡ଼ିଛି। ମନ୍ଦିର କୋଣରେ ସେମିତି ଧୂଳିଧୂସରିତ ହେଇ ପଡ଼ିରହିଛି ସେହି ପୁରୁଣା କାହାଳୀ। ଏବେ ସଞ୍ଜ ହେଲେ ମନେହୁଏ, ସତେ ଯେମିତି ମହାପ୍ରଭୁ ବି ଚାହିଁ ରହିଛନ୍ତି ସେହି ପୁରୁଣା ସ୍ୱରକୁ। କିନ୍ତୁ ଆଜି ସେହି ତୂରୀ ଫୁଙ୍କିବାକୁ ଆଉ କେହି ନାହିଁ... କେହି ନାହିଁ।
ହେଲେ ଆମ ଘରେ, ପ୍ରତି ଗହ୍ମା ପୂର୍ଣ୍ଣିମାରେ ଯେତେବେଳେ ସେହି କାଠର ସାନ ଲଙ୍ଗଳ ବାହାରେ, ସେତେବେଳେ ଲଙ୍ଗଳର ପ୍ରତିଟି କାଠ ଗଣ୍ଠିରେ ଶିବ ଦାଦାଙ୍କ ହାତର ସ୍ପର୍ଶ ଏବଂ ତାଙ୍କ ସ୍ମୃତି ଜୀବନ୍ତ ହୋଇଉଠେ। ସେ ଚାଲିଯାଇଛନ୍ତି ସତ, କିନ୍ତୁ ଆମ ପୂଜାଘରେ ସେ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି।
---
ମାନସ କୁମାର ସାହୁ

No comments:
Post a Comment