Friday, 19 June 2026

କାଶୀପୁରର ସେଇ ପୁରୁଣା ଛତା

 କାଶୀପୁର କାହାଣୀ -୧

କାଶୀପୁରର ସେଇ ପୁରୁଣା ଛତା

ମାନସ କୁମାର ସାହୁ 


ପ୍ରଥମ ପରିଚ୍ଛେଦ:

 ମେଘୁଆ ପିଲାଦିନ ଆଉ ନନା ଙ୍କ କଟକଣା

ଆଜିକୁ ବହୁ ବର୍ଷ ତଳର କଥା। କାଶୀପୁର ଗାଁର ସେଇ ସନ୍ତସନ୍ତିଆ ଗଳି, ମାଟିର ବାସ୍ନା ଆଉ ଆକାଶରେ ସବୁବେଳେ ଜମି ରହୁଥିବା କଳା ମେଘ। ମୁଁ ସେତେବେଳେ ବହୁତ ଛୋଟ ଥିଲି, ଆଉ ଶରୀରରେ ଥିଲି ଟିକେ ଦୁର୍ବଳ। ଗାଁର ଅନ୍ୟ ପିଲାମାନେ ଯେତେବେଳେ ବର୍ଷାରେ ଭିଜି ଭିଜି ଦାଣ୍ଡରେ କାଦୁଅ ଖେଳୁଥିଲେ, ମୋ ପାଇଁ ସେତେବେଳେ କଟକଣା ଥିଲା ସବୁଠୁ ଅଧିକ। ମେଘ ଖଣ୍ଡେ ଦେଖିଲେ ନନା ଧାଇଁ ଆସି ହାତରେ ବଢ଼େଇ ଦେଉଥିଲେ ସେଇ କଳା କପଡ଼ାର ବଡ଼ ଛତାଟାକୁ।

ଖରା ହେଉ, ବର୍ଷା ହେଉ କି କାକର ପଡୁଥିବା ଶୀତ ଦିନ— ସେଇ ଛତାଟା ସବୁବେଳେ ମୋ ସାଥୀ ହୋଇ ରହୁଥିଲା। ଗାଁର ସାଙ୍ଗମାନେ ମୋତେ ଦେଖିଲେ ଦାଣ୍ଡରେ ଚିଡ଼ାଉଥିଲେ, "ଏଇ ଦେଖ, ଛତା ସାହୁ ଆସିଲା!" ସେତେବେଳେ ମନରେ ଭୀଷଣ ରାଗ ଆସୁଥିଲା। ରାଗ ଆସୁଥିଲା ସେଇ ଛତା ଉପରେ,  ଆଉ ମୋର ସେଇ ଦୁର୍ବଳ ଶରୀର ଉପରେ। ଭାବୁଥିଲି, କେବେ ମୁଁ ବଡ଼ ହେବି ଆଉ ଏହି ଛତା କବଳରୁ ମୁକ୍ତି ପାଇବି? ହାଇସ୍କୁଲ୍‌ରେ ପଢ଼ିଲା ବେଳେ ଆମର ଗଣେଶ ସାର୍ ମଧ୍ୟ ମୋର ଏଇ ଅଭ୍ୟାସକୁ ଦେଖି କେତେବେଳେ କେମିତି ହସୁଥିଲେ, ହେଲେ ସେଥିରେ ଅପାର ସ୍ନେହ ଥିଲା।


ଦ୍ୱିତୀୟ ପରିଚ୍ଛେଦ:

 ବଜାରର ସେଇ ଫଳ ଦୋକାନୀ

ସମୟ ବଦଳିଲା। ମୁଁ ବଡ ହେଲି, ଚାକିରି କଲି। ଜୀବନର ଏହି ଦୌଡ଼ାଦୌଡ଼ି ଭିତରେ ସେଇ ପିଲାଦିନର ଛତା କେଉଁ ଅତୀତର ଗର୍ଭରେ ହଜିଗଲା ପରି ମନେହେଲା। ଦିନେ ସହରର ଗୋଟିଏ ବଡ଼ ବଜାରରେ ମୁଁ ଫଳ କିଣିବାକୁ ଗୋଟିଏ ଦୋକାନରେ ଠିଆ ହୋଇଥିଲି। ବାହାରେ ସାମାନ୍ୟ ମେଘୁଆ ପାଗ ଥିଲା। ଫଳ ଓଜନ କରୁ କରୁ ସେଇ ବେପାରୀ ଜଣକ ମୋ ଆଡ଼କୁ ଅନାଇ ହଠାତ୍ ଅଟକିଗଲେ।

ସେ ଟିକେ ହସି ଚଷମାଟାକୁ ଠିକ୍ କରି କହିଲେ, "ବାବୁ! ଚିହ୍ନି ପାରୁଛ କି ନାହିଁ ଜାଣିନି, ହେଲେ ତୁମକୁ ଦେଖିଲେ କାଶୀପୁରର ସେଇ ଛତା ଧରା ପିଲା କଥା ମନେପଡ଼ିଯାଉଛି। ତୁମେ ମାନସ ନା?"

ମୁଁ ଆଶ୍ଚର୍ଯ୍ୟ ହୋଇଗଲି! ଏତେ ବର୍ଷ ପରେ ଏହି ଅଚିହ୍ନା ସହରରେ ମୋତେ କିଏ ଗାଁ ନାଁରେ ଚିହ୍ନୁଛି? ମୁଁ ପଚାରିଲି, "ଆଜ୍ଞା ଆପଣ...?"

ସେ ହସି ପ୍ରକାଶ କଲେ ଯେ ସେ ଆଉ କେହି ନୁହଁନ୍ତି, ଆମ ହାଇସ୍କୁଲ୍‌ର ଗଣେଶ ସାର୍‌ଙ୍କ ନିଜ ସାନ ଭାଇ। ବ୍ୟବସାୟ ସୂତ୍ରରେ ସେ ଏବେ ସହରରେ ରହୁଛନ୍ତି। ଗାଁ କଥା, ପିଲାଦିନ କଥା ପଡ଼ୁ ପଡ଼ୁ ମୋ ଆଖି ଆଗରେ ସ୍କୁଲ୍ ଦିନଗୁଡ଼ିକ ଭାସିଉଠିଲା। ମୁଁ ଅତି ଆଗ୍ରହରେ ଗଣେଶ ସାର୍‌ଙ୍କ ବିଷୟରେ ପଚାରିଲି ଏବଂ ତାଙ୍କଠାରୁ ସାର୍‌ଙ୍କର ବର୍ତ୍ତମାନର ଫୋନ୍ ନମ୍ବରଟା ସଂଗ୍ରହ କଲି।


ତୃତୀୟ ପରିଚ୍ଛେଦ: 

ଗୋଟିଏ ଫୋନ୍ କଲ୍ ଆଉ ସେଇ ପୁରୁଣା ପରିଚୟ

ଆଜି ବାହାରେ ସତକୁ ସତ ପ୍ରବଳ ବର୍ଷା ହେଉଥିଲା। ଝରକା କାଚରେ ବାଡ଼େଇ ହେଉଥିବା ପାଣି ଟୋପାକୁ ଦେଖି ମୋତେ ହଠାତ୍ ସେଇ ଫଳ ବେପାରୀଙ୍କଠାରୁ ଆଣିଥିବା ଗଣେଶ ସାର୍‌ଙ୍କ ନମ୍ବର କଥା ମନେପଡ଼ିଲା। ବହୁ ବର୍ଷ ବିତିଯାଇଛି। ମନରେ ଗୋଟିଏ ସଂକୋଚ ଥିଲା ଯେ ସାର୍ କ’ଣ ମୋତେ ଆଉ ମନେ ରଖିଥିବେ? ଏତେ ପିଲାଙ୍କ ଭିତରୁ ମୋ ଭଳି ଜଣେ ସାଧାରଣ ପିଲାକୁ ମନେ ରଖିବା କ’ଣ ସମ୍ଭବ?

ଦୋଦୋଚିନ୍ହ ମନରେ ମୁଁ ଫୋନ୍ ଲଗାଇଲି। ରିଂ ହେଲା... ଏବଂ ଆରପଟୁ ଜଣେ ମହିଳାଙ୍କ କଣ୍ଠସ୍ୱର ଶୁଭିଲା। ମୁଁ ଜାଣିପାରିଲି ସେ ଗଣେଶ ସାର୍‌ଙ୍କ ସ୍ତ୍ରୀ (ଗୁରୁମା) ଥିଲେ।

ମୁଁ ଅତ୍ୟନ୍ତ ନମ୍ରତାର ସହ କହିଲି, "ଆଜ୍ଞା ନମସ୍କାର, ମୁଁ କାଶୀପୁର ହାଇସ୍କୁଲ୍‌ର ପୁରୁଣା ଛାତ୍ର ମାନସ କହୁଛି..."

ମୋ ନାଁ ଶୁଣୁ ଶୁଣୁ ସେପଟୁ ସେ ଅତି ଆପଣାର ଶୈଳୀରେ, ହସିଭରା ଗଳାରେ ସାଙ୍ଗେ ସାଙ୍ଗେ କହିଉଠିଲେ— "ଆବେ ମାନସ! ଏବେ ବି ଖରା ବର୍ଷାରେ ସେମିତି ଛତା ଧରୁଛୁ ନା ଛାଡ଼ିଲୁଣି?"

ଚତୁର୍ଥ ପରିଚ୍ଛେଦ: 

ଆନନ୍ଦର ଅଶ୍ରୁ

ସେଇ ଗୋଟିଏ ପଦ କଥା ମୋତେ କାଶୀପୁରର ସେଇ ମେଘୁଆ ଦାଣ୍ଡକୁ ସେକେଣ୍ଡକରେ ଫେରାଇ ନେଇଗଲା। ଗୁରୁମାଙ୍କ ସେଇ ଧାଡ଼ିକ କଥାରୁ ସ୍ପଷ୍ଟ ଥିଲା ଯେ, ଗଣେଶ ସାର୍ ମୋ ବିଷୟରେ ଆଜି ବି ଘରେ ଗପନ୍ତି ଏବଂ ମୋର ସେଇ 'ଛତା ଧରିବା' କଥା ସେମାନଙ୍କ ମନରେ ଏକ ସୁନ୍ଦର ସ୍ମୃତି ହୋଇ ରହିଯାଇଛି।

ମୋ ଆଖି କୋଣ ସେତେବେଳେ ଓଦା ହୋଇଯାଇଥିଲା, କିନ୍ତୁ ଓଠରେ ଥିଲା ଏକ ଅପୂର୍ବ ଆନନ୍ଦର ହସ। ଯେଉଁ 'ଛତା' କୁ ନେଇ ଦିନେ ମୁଁ ସମସ୍ତଙ୍କ ଉପରେ ରାଗୁଥିଲି, ଆଜି ସେଇ ଛତାଟା ହିଁ ମୋର ଅସଲ ପରିଚୟ ସାଜି ମୋ ପ୍ରିୟ ଗୁରୁଜନମାନଙ୍କ ମନରେ ମୋତେ ଜୀବିତ ରଖିଛି। ସେମାନେ ମୋତେ ଭୁଲିନାହାନ୍ତି! ସହରର ଏଇ ଯାନ୍ତ୍ରିକ ଜୀବନ ଭିତରେ ଗାଁର ସେଇ ପଦେ ନିଚ୍ଛକ ଆପଣାର କଥା ମୋ ହୃଦୟକୁ ବହୁତ ବଡ଼ ଖୁସି ଆଉ ଶାନ୍ତି ଦେଇଗଲା।

ବର୍ଷା ଏବେ ବି ହେଉଥିଲା, ହେଲେ ଆଜି ସେଇ ବର୍ଷା ମୋତେ ଆଦୌ ବିରକ୍ତ କରୁନଥିଲା, ବରଂ ପିଲାଦିନର ମହକରେ ଆନ୍ଦୋଳିତ କରୁଥିଲା।


ମାନସ କୁମାର ସାହୁ 

No comments:

Post a Comment