ରକ୍ତର ସ୍ୱାକ୍ଷର: ଆଦିବାସୀ ସେବା ମଣ୍ଡଳ

 କାଶୀପୁର କାହାଣୀ ୧୭


# ରକ୍ତର ସ୍ୱାକ୍ଷର: ଆଦିବାସୀ ସେବା ମଣ୍ଡଳ



## ପ୍ରଥମ ଅଧ୍ୟାୟ: ସଂକଳ୍ପର ପ୍ରଥମ ସୂର୍ଯ୍ୟୋଦୟ


ସେଦିନ ଥିଲା ୧୯୪୬ ମସିହା ଅଗଷ୍ଟ ୨୫ ତାରିଖ। ଆକାଶରେ ମେଘର କଳା ଅନ୍ଧାର ଥିଲେ ବି, କିଛି ମଣିଷଙ୍କ ଆଖିରେ ଥିଲା ସ୍ୱାଧୀନତା ଓ ସେବାର ଏକ ନୂଆ ଆଲୋକ। 'ଆଦିବାସୀ ସେବା ମଣ୍ଡଳ'ର ପରିଚାଳନା ସଭା ବସିଥିଲା। ସଭାରେ ଉପସ୍ଥିତ ସମସ୍ତ କର୍ମୀଙ୍କ ଭିତରେ ଥିଲା ଅପୂର୍ବ ଉତ୍ସାହ। ଦେଶ ପାଇଁ, ମାଟି ପାଇଁ ଏବଂ ନିଷ୍ପେଷିତ ଜନତାଙ୍କ ପାଇଁ କିଛି କରିବାର ସଂକଳ୍ପ ନେଇ ସମସ୍ତଙ୍କୁ ବିଭିନ୍ନ ଗୁରୁ ଦାୟିତ୍ୱ ବଣ୍ଟନ କରାଗଲା।


କର୍ମୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ରଙ୍ଗ ଆଣିଲା। ଅଳ୍ପ ଦିନ ଭିତରେ, ଅର୍ଥାତ୍ ଅକ୍ଟୋବର ୯ ତାରିଖ ବେଳକୁ ମଣ୍ଡଳର ସଭ୍ୟ ସଂଖ୍ୟା ୪୨୨ରେ ପହଞ୍ଚିଗଲା। କେବଳ ସେତିକି ନୁହେଁ, ଗରିବ ଜନତାଙ୍କ ସେବା ପାଇଁ ୧୧୫୫ ଟଙ୍କାର ଏକ ସାଧାରଣ ପାଣ୍ଠି ମଧ୍ୟ ସଂଗୃହିତ ହେଲା। ସେହି ସମୟରେ ଏହି ଅର୍ଥର ମୂଲ୍ୟ ଥିଲା ଅନେକ। ସେହି ସଂଗୃହିତ ଅର୍ଥରେ ସ୍ଥାନୀୟ ଅଞ୍ଚଳରେ ୧୪ ଟି 'ଚାଟଶାଳୀ' ନିର୍ମାଣ କରାଗଲା, ଯେଉଁଠି ଆଦିବାସୀ ଶିଶୁମାନେ ଅକ୍ଷର ଚିହ୍ନିଲେ। ସେହି ଦିନ ୧୨୬ ଜଣ ସ୍ୱେଚ୍ଛାସେବକ ନିଜ ଜୀବନକୁ ବାଜି ଲଗାଇ ମଣ୍ଡଳରେ ଯୋଗ ଦେଲେ, ଯେଉଁଥିରେ ଅନେକ ବୀରାଙ୍ଗନା ମହିଳା ମଧ୍ୟ ସାମିଲ ଥିଲେ।


## ଦ୍ୱିତୀୟ ଅଧ୍ୟାୟ: ପରିବର୍ତ୍ତନର ପବନ ଏବଂ ବିପତ୍ତିର କଳାବାଦଲ


ସଂଗଠନ ଆଗକୁ ବଢ଼ୁଥିବା ବେଳେ ହଠାତ୍‌ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେଲା। ମଣ୍ଡଳର ବିଶ୍ୱସ୍ତ କୋଷାଧ୍ୟକ୍ଷ ବିନାୟକ ପାତ୍ର ଆରପାରିକୁ ଚାଲିଗଲେ। ସାରା ଅଞ୍ଚଳରେ ଶୋକର ଛାୟା ଖେଳିଗଲା। କିନ୍ତୁ ଆନ୍ଦୋଳନକୁ ତ ରୋକାଯାଇପାରିବ ନାହିଁ! ତେଣୁ ଶ୍ରୀ ରାମଚନ୍ଦ୍ର ନାୟକଙ୍କୁ ନୂତନ କୋଷାଧ୍ୟକ୍ଷ ଏବଂ ଭବାନୀ ନାଏକଙ୍କୁ ସହକାରୀ ସଭାପତି ଭାବେ ଦାୟିତ୍ୱ ଦିଆଗଲା।


ଏହି ସମୟରେ ମନେପଡ଼ନ୍ତି ସ୍ୱର୍ଗତ ନରସିଂହ ପାତ୍ର। ସେ ଥିଲେ ଆପୁଡୁ ସାହୁଙ୍କ ପରମ ବନ୍ଧୁ। ନରସିଂହ ବାବୁ ହିଁ ସେହି ମହାନ୍ ବ୍ୟକ୍ତି ଥିଲେ, ଯିଏ ଏହି ଅଞ୍ଚଳରେ ପ୍ରଥମ କରି 'ଅସ୍ପୃଶ୍ୟତା ନିବାରଣ' କାର୍ଯ୍ୟ ଆରମ୍ଭ କରି ସମାଜରୁ ଭେଦଭାବ ଦୂର କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ପ୍ରେରଣାରେ ଡିସେମ୍ବର ୭ ତାରିଖ ବେଳକୁ ସଭ୍ୟ ସଂଖ୍ୟା ୫୦୦ ଟପିଗଲା। ପ୍ରହ୍ଲାଦ ପରିଛା, ଭବାନୀ ପରିଛା, ଏବଂ ରାଜ ନାୟକଙ୍କ ଭଳି ଟାଣୁଆ ନେତାମାନେ ଏହି ମହାଯଜ୍ଞରେ ଆହୁତି ଦେବାକୁ ଆଗେଇ ଆସିଲେ। ବିଶେଷ କରି ମହିଳାମାନଙ୍କ ମଧ୍ୟରେ ଶ୍ରୀମତୀ ମୁକ୍ତା ଦେଇ ଥପା ଏବଂ ଲଳିତା ବାଣୁଆ ସଂଗଠନର ଆଗଧାଡ଼ିର ସକ୍ରିୟ ସେବିକା ସାଜିଲେ।


## ତୃତୀୟ ଅଧ୍ୟାୟ: ଦରବାରୀ ଦମନଲୀଳା ଏବଂ ପ୍ରତିରୋଧ


ମଣ୍ଡଳର ଏହି ସକ୍ରିୟତା ଓ ଜନଜାଗରଣ ଦେଖି ସ୍ଥାନୀୟ ଦରବାର ସରକାର (ରାଜଶାହି) ଭୟଭୀତ ହୋଇଉଠିଲେ। ସେମାନେ ଜନତାଙ୍କ ସ୍ୱରକୁ ଦବାଇବା ପାଇଁ ୩୦ ଜଣ ସଶସ୍ତ୍ର ରିଜର୍ଭ ଫୋର୍ସ ପଠାଇଲେ। ଗାଁ ଗାଁରେ ଦମନ ଲୀଳା ଚାଲିଲା। ପୋଲିସର ଅତ୍ୟାଚାର ଏତେ ବଢ଼ିଗଲା ଯେ, ସଞ୍ଜ ନ ହେଉଣୁ ଲୋକେ ଭୟରେ ତାଟି-କବାଟ ପକାଇ ଘର ଭିତରେ ଲୁଚି ରହିଲେ।


> "ଚାରିଆଡ଼େ କେବଳ ବୁଟ୍ ଜୋତାର ଶବ୍ଦ ଏବଂ ବନ୍ଧୁକର ଭୟ... କିନ୍ତୁ ବିପ୍ଳବର ନିଆଁକୁ କ’ଣ କବାଟ କୋଣରେ ବନ୍ଦ କରି ରଖାଯାଇପାରେ?"


ଏହି ଅନ୍ଧାର ସମୟରେ ମାଗୁଣି ମହାପାତ୍ର ନିଜ ଜୀବନକୁ ପାଣି ଛଡ଼ାଇ ଅକ୍ଲାନ୍ତ ପରିଶ୍ରମ କଲେ। ଦେଖୁ ଦେଖୁ ଲୋକଙ୍କ ଭିତରୁ ଭୟ ଗାଏବ ହୋଇଗଲା ଏବଂ ସଭ୍ୟ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ୬,୦୦୦ରେ ପହଞ୍ଚିଗଲା। ଦରବାର ସରକାର ଏବେ ସମ୍ପୂର୍ଣ୍ଣ ଭୟଭୀତ। ରାଜାଙ୍କ ଆସନ ଥରିବାକୁ ଲାଗିଲା। ଶେଷରେ ୧୯୪୭ ମସିହା ଅପ୍ରେଲ ୧୪ ତାରିଖ ଦିନ ସରକାର ଏକ ଚକ୍ରାନ୍ତ କରି 'ଆଦିବାସୀ ସେବା ମଣ୍ଡଳ'କୁ କେବଳ ଏକ "ବିଡି ପାନ ଯୋଗାଇବା ଅନୁଷ୍ଠାନ" ବୋଲି ଆଖ୍ୟା ଦେଇ ବେଆଇନ ଘୋଷଣା କରିଦେଲେ।


## ଚତୁର୍ଥ ଅଧ୍ୟାୟ: ରକ୍ତର ମୂଲ୍ୟ ଏବଂ ଅମର ସଂଗ୍ରାମ


ସରକାରୀ ନିଷେଧାଦେଶକୁ ଫୁ କରି ଉଡ଼ାଇ ଦେଲେ ମଣ୍ଡଳର ବୀରମାନେ। ଅପ୍ରେଲ ୨୬, ୧୯୪୭ରେ ବିନାୟକ ମିଶ୍ର, ଆପଡୁ ସାହୁ, ପଦ୍ମ ଲୋଚନ ପାତ୍ର ଏବଂ ଝାଝୁରୁ ଝୋଡ଼ିଆ ମିଶି ରାୟଗଡ଼ାଠାରେ ଏକ ଶକ୍ତିଶାଳୀ କମିଟି ଗଠନ କଲେ। ଏହି ଲଢ଼େଇରେ ସେମାନଙ୍କ ସହ ସ୍ୱର ମିଶାଇଲେ ପ୍ରସିଦ୍ଧ ଓକିଲ ଜଗନ୍ନାଥ ଦାସ, ବିଧାୟକ ରାଧା ମୋହନ ପଣ୍ଡା ଏବଂ ବାଳକୃଷ୍ଣ ହରିଚନ୍ଦନ।


ଆନ୍ଦୋଳନ ଉଗ୍ର ରୂପ ନେଲା। ପ୍ରତିଶୋଧ ପରାୟଣ ହୋଇ ଦରବାର ସରକାର ଅତି ଅମାନୁଷିକ ଘୋଷଣା କଲେ— ଝାଝୁରୁ ଝଡ଼ିଆ, ଆପୁଡୁ ସାହୁ ଏବଂ ପଦ୍ମ ଲୋଚନ ପାତ୍ରଙ୍କ ମୁଣ୍ଡ କାଟି ଆଣିଲେ ପ୍ରତ୍ୟେକଙ୍କ ପାଇଁ ୧୦୦୦ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ!


କିନ୍ତୁ ଏହି ବୀର ପୁତ୍ରମାନେ ମୃତ୍ୟୁକୁ ଡରି ନଥିଲେ। ସେମାନେ ଦରବାରର ଏହି କ୍ରୂରତା ବିରୁଦ୍ଧରେ ଏକ ବଡ଼ 'ପ୍ରତିବାଦ କମିଟି' ଗଠନ କଲେ। ଶତ୍ରୁର ଆଖିରେ ଆଖି ମିଶାଇ, ତା’ରି ଗଡ଼ ଭିତରେ ରହି ସଂଗ୍ରାମ କରିବା ପାଇଁ ସେମାନେ ରାୟଗଡ଼ ସ୍ଥିତ ରାଜମାତାଙ୍କ ବଙ୍ଗଳାକୁ ନିଜର ଆସ୍ଥାନ ବନାଇଲେ। ସେହି ବଙ୍ଗଳାର ପ୍ରତିଟି କାନ୍ଥ ସେଦିନ ସାକ୍ଷୀ ଥିଲା ଆଦିବାସୀଙ୍କ ସ୍ୱାଭିମାନ ଓ ବଳିଦାନର ଅଲିଭା ଇତିହାସର...।


---


କ୍ରମଶଃ

ମାନସ କୁମାର ସାହୁ

Comments

Popular posts from this blog

ଅଭିମାନରୁ ସମ୍ମାନ

କାଶୀପୁରର ପ୍ରଜା ଆନ୍ଦୋଳନ ଓ ବିପ୍ଳବର ଅକୁହା କାହାଣୀ